ବିକ୍ରମ ବେତାଳ
ମଲା ପରେ ବି ମୁଁ ସବୁ ଦେଖୁଛି
ବିକ୍ରମାଦିତ୍ୟର କାନ୍ଧରେ
ଭାର ହୋଇ ନିତି ବୁଲୁଛି ।
ଗୋଟେ ପରେ ଗୋଟେ ଏମିତି
ଅନେକ ପ୍ରଶ୍ନ ପଚାରୁଛି ।
ପ୍ରଶ୍ନ ମୋର ଅସରନ୍ତି
ଜାଣେନା ମୁଁ ପାଇବି କି ନା ଏହାର ଉତ୍ତର ..
ମନ୍ତ୍ରୀ ଆସିଥିଲେ କି କେବେ
ମୋ ଘର କଥା ବୁଝିବାକୁ?
ଦେଖିଛନ୍ତି ଚାଳ କି ଖପର
ଛପର ମୋର ଘର?
କେତେ ବଖରା, କେମିତି ଜଳେ ଚୁଲି?
ମୋ ରତା, କାଳିଆ କଣ ଖାଆନ୍ତି?
ବିଲରେ ମୋ ଫସଲର ହାଲ
ଦେଖିଛନ୍ତି କେବେ?
କେମିତି ଦେଖିଲେ ମନ୍ତ୍ରୀ
ସ୍ତ୍ରୀ ମୋର କାଳୀ କିମ୍ବା ଗୋରୀ?
ଦେଖିଛନ୍ତି କେବେ ସିଏ
କଳାବତୀ କବରୀରେ
ଖୋସିଥିଲି ମୁହିଁ
କେତକୀ ନା କଣ୍ଟା?
କେମିତି କହିଲେ ମନ୍ତ୍ରୀ
କଳାବତୀ ମୋର କୁଲକ୍ଷଣୀ ବୋଲି?
ଜିଲ୍ଲାପାଳ ବୋଧେ ବହୁରୂପୀ
ବଦଳାଇ ବେଶ
ବୁଲନ୍ତି କି ଗାଁ ଗଣ୍ଡା
ସହର ନଗର ଯେତେ ଘରଦ୍ବାର?
କେମିତି ଜାଣିଲେ ଦୁହେଁ
ମୋ ଘରକଥା?
ଆଖିବୁଜି କହିଦେଲେ
ମାଟି ମାଡ଼ ନୁହେଁ, ମାଇପ ମାଡ଼ରେ
ମରିଗଲି ମୁହିଁ?
ବିକ୍ରମାଦିତ୍ୟର ରାଜ୍ୟେ ଏ କି ଅବିଚାର?
କଳାବତୀ ମୁଣ୍ଡେ ଦେଲ କଳଙ୍କର ଗାର?
ମନ୍ତ୍ରୀ ଆଉ କଟୁଆଳ ତୁମ
କରିଗଲେ ଯେତେ ନାରଖାର,
ରାଜ୍ୟ ତୁମ, ରାଜା ତୁମେ
କରିବ କି ଏହାର ବିଚାର?
ଦେଇ କି ପାରିବ ଆଜି
ମୃତ ଖଇନୁର ପ୍ରଶ୍ନର ଉତ୍ତର?
---
(ବରଗଡ଼ର ଚାଷୀ ଖଇନୁ ବଗର୍ତ୍ତୀଙ୍କ ଆତ୍ମହତ୍ୟା ପରେ ସରକାର ଓ ପ୍ରଶାସନର ଦାୟିତ୍ବହୀନତା ପରିପ୍ରେକ୍ଷୀରେ ଲିଖିତ କବିତା)
(C) ଡକ୍ଟର ଫକୀର ମୋହନ ନାହାକ