Wednesday, April 29, 2020

Lock Down Diary


ଲକ୍ ଡାଉନ୍ ଡାଏରୀ
ଡକ୍ଟର ଫକୀର ମୋହନ ନାହାକ
ଘରଠୁ ଦୁଇ ହଜାର କିଲୋମିଟର ଦୂରରେ ପଞ୍ଜାବର ଚଣ୍ଡୀଗଡ଼ ୟୁନିଭରସିଟିରେ ଅଧ୍ୟାପନା ଆରମ୍ଭ କରିବା ପରେ, ପୂର୍ବରୁ ଥିବା ପ୍ରାୟ କୋଡ଼ିଏ ବର୍ଷର ପେସାଗତ ଅଭ୍ୟାସ ସବୁ ବଦଳି ସାରିଲାଣିଟେଲିଭିଜନ ସାମ୍ବାଦିକତା ଛାଡ଼ିବା ଓ ଅଧ୍ୟାପନାକୁ ଆପଣେଇବା ପରେ ହୁଏତ ଗତ ଦୁଇବର୍ଷ ଭିତରେ ମୁଁ ଏତିକି ନ୍ୟୁଜ୍ କେବେ ଟିଭିରେ ଦେଖିନଥିଲି । ଓଡ଼ିଆ, ପଞ୍ଜାବୀ, ହିନ୍ଦୀ ଏବଂ ଇଂରାଜୀ ଭାଷାର ଟିଭି ନ୍ୟୁଜ୍ ଦେଖିବା ବେଳେ ମୁଁ ଏବେ ପୁଣି ଥରେ ଅନୁଭବ କରିପାରୁଛି ନ୍ୟୁଜ୍ ରୁମର ଉଷ୍ମତା । କୋଭିଡ୍-19ର ମୁକାବିଲା ପାଇଁ ସାରାବିଶ୍ୱରେ ଯୋଦ୍ଧାମାନେ ଲାଗିପଡ଼ିଥିବା ବେଳେ ସାମ୍ବାଦିକମାନଙ୍କ ଅବଦାନକୁ ଅଣଦେଖା କରାଯାଇନପାରେ । ମନକହୁଛି ପୁଣି ଥରେ ନ୍ୟୁଜ୍ ରୁମକୁ ଫେରିଯାଇ ଏଭଳି ଏକ ବିଶ୍ୱସଂକଟ କାଳରେ କାମ କରିବା ପାଇଁ ।
ସାରା ବିଶ୍ୱରେ କରୋନା ମହାମାରୀର ମୁକାବିଲା ପାଇଁ ସଂଘର୍ଷ ଚାଲିଛି । ଏହି କ୍ରମରେ ଗତ ମାର୍ଚ୍ଚ 19 ତାରିଖଠାରୁ ଏଠାରେ ପଞ୍ଜାବ ସରକାର ସମସ୍ତ ସାମାଜିକ ସଂପର୍କ ଉପରେ କଟକଣା ଲଗାଇ ସାରିଥିଲେ । କେବଳ ସେଥିପାଇଁ ସେହିଦିନଠାରୁ ଆଜି ଯାଏଁ, ଅର୍ଥାତ୍ ପ୍ରାୟ ଏକ ମାସ ହେଲା ଘରର ଚାରିକାନ୍ଥ ଭିତରେ ଜୀବନ ଚାଲିଛି । ସବୁଠୁ ବଡ଼କଥା ହେଉଛି, ଏହି ସମୟ ଭିତରେ କେମିତି ଜୀବନର ଅନ୍ୟାନ୍ୟ କାର୍ଯ୍ୟ ସବୁ ଠିକରେ ଚାଲିପାରିବ ସେଥିପାଇଁ ବି ପ୍ରୟାସ ଚାଲିଛି । ଏଇତକ ଦିନ ସମୟ କେମିତି ଅତିବାହିତ ହେଉଛି ଜଣା ହିଁ ପଡୁନାହିଁ । ଦିନକୁ ବାରରୁ ଚଉଦ ଘଣ୍ଟା କାମ କରିବା ପରେ ବି ଲାଗୁଛି ଆହୁରି ସମୟର ଆବଶ୍ୟକତା ରହିଛି ।
ବ୍ୟକ୍ତିଗତ ଭାବରେ ଏହି ଲକ୍ ଡାଉନ୍ ସମୟରେ ମୋର ନିଜସ୍ୱ ଅନୁଭୂତି ମୋର ପୂର୍ବ ଅଭିଜ୍ଞତାକୁ ଅଧିକ ବଳିଷ୍ଠ କରିବାରେ ସହାୟକ ହୋଇଛି । ଯଦିଓ ବିଶ୍ୱବିଦ୍ୟାଳୟରେ ଛାତ୍ର ଉପସ୍ଥାନଠାରୁ ଶ୍ରେଣୀଗୃହରେ ଶିକ୍ଷାଦାନ, ପରୀକ୍ଷା ଓ ମୂଲ୍ୟାୟନ ଯାଏଁ ସବୁକାମ ଡିଜିଟାଲ ପ୍ଲାଟଫର୍ମରେ କରିବାକୁ ପଡୁଥିଲା, କିନ୍ତୁ ଅନ୍ତତଃ ସେଠାରେ ପିଲାଙ୍କ ଉପସ୍ଥିତି ଥିଲା ଶ୍ରେଣୀଗୃହ ଭିତରେ । ହେଲେ ଆଜି ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ । ପ୍ରଥମ ଥର ପାଇଁ ଗୋଟିଏ ଶ୍ରେଣୀର 50ରୁ ଅଧିକ ପିଲାଙ୍କୁ ଅନଲାଇନରେ ପାଠ ପଢ଼ାଇବାର ସୁଯୋଗ ମିଳିଲା । ଯେହେତୁ ସମସ୍ତେ ନିଜ ନିଜ ଘରେ ଅଛନ୍ତି, ତେଣୁ ଅନଲାଇନ ପାଠ ପଢ଼ାଟା ଅଧିକ ସରଳ ହୋଇପାରିଲା । ନିଜ କଂପ୍ୟୁଟରର ପରଦା ଉପରେ ଏକା ସାଙ୍ଗରେ ଏତେ ପିଲାଙ୍କୁ ଦେଖିବା ଓ ସେମାନଙ୍କ ସାଙ୍ଗରେ ଆଲୋଚନା କରିବା ବେଳେ ମୋ ଭିତରେ କିଛି ପ୍ରଶ୍ନ ଉଠିଛି । ଏଭଳି ବ୍ୟବସ୍ଥାକୁ ସବୁ ବିଶ୍ୱବିଦ୍ୟାଳୟ ନିଜ ନିୟମିତ ପାଠ୍ୟକ୍ରମ ଭିତରେ ଏକ ବିକଳ୍ପ ଭାବେ ଅନ୍ତର୍ଭୁକ୍ତ କରିବା ଦରକାର । ଆଉ ଏଥିପାଇଁ ତୃଣମୂଳ ସ୍ତରରେ ଶିକ୍ଷାଦାନ ବ୍ୟବସ୍ଥାର ଭିତ୍ତିଭୂମିର ବିକାଶ କରିବା ଉଚିତ୍ ନୁହେଁ କି ?
ଏତିକି ଦିନ ମୁଁ କେବଳ ଅନ୍ ଲାଇନରେ ପାଠ ପଢ଼ାଇବା କାମରେ ନିଜକୁ ସୀମିତ ରଖିନାହିଁ । ପିଲାଙ୍କ ପାଇଁ ବିଶ୍ୱବିଦ୍ୟାଳୟ ପୋର୍ଟାଲରେ ସମସ୍ତ ପାଠ୍ୟପୁସ୍ତକ, ନୋଟ୍ ଇତ୍ୟାଦି ପ୍ରସ୍ତୁତି କରି ଅପଲୋଡ୍ କରିବାକୁ ପଡ଼ିଛି । ଏ ତ ସବୁ ପେସାଗତ ଜୀବନର କଥା । କିନ୍ତୁ ଏହି ଲକ୍ ଡାଉନ୍ ସମୟ ତକ କଟାଇବାରେ ଅଧିକ ସହାୟକ ହୋଇଛି ଟେଲିଭିଜନ । ବିଶେଷକରି ପିଲାଦିନର ସ୍ମୃତିକୁ ରୋମନ୍ଥନ କରିବାରେ ଅଧିକ ସହାୟକ ହୋଇଛି ରାମାନନ୍ଦ ସାଗରଙ୍କ ରାମାୟଣ ଏବଂ ବଳଦେବରାଜ ଚୋପଡ଼ାଙ୍କ ମହାଭାରତ । ପୁରୁଣାପାଠର ପୁନରାବୃତ୍ତି ଭଳି, ଏହି ରାମାୟଣ ଓ ମହାଭାରତ ମୋ ସ୍ମୃତିକୁ ଅଧିକ ବଳିଷ୍ଠ କରିଛନ୍ତି । ପିଲାଦିନରେ ଜେଜବାପାଙ୍କଠାରୁ ରାମାୟଣ ଓ ମହାଭାରତ ସମ୍ପର୍କିତ ପ୍ରତିଟି କାହାଣୀ ଶୁଣି ଅଧିକ ଜିଜ୍ଞାସୁ ହୋଇଉଠୁଥିବା ଏକ ଚପଳ ମନ, ଯେତେବେଳେ ବର୍ତ୍ତମାନ ମୋ ଝିଅର ଅକ୍ଷୟ ତୁଣୀରରୁ ବାହାରୁଥିବା ଅନ୍ତହୀନ ପ୍ରଶ୍ନ ସବୁର ଉତ୍ତର ଦେଉଛି, ସେତେବେଳେ ଲାଗୁଛି ସେଦିନର ଶିକ୍ଷା ଆଜି ସାର୍ଥକ ହୋଇପାରିଛି ।
କାର୍ଯ୍ୟବ୍ୟସ୍ତତା ପାଇଁ ମୋ ଛୁଆଙ୍କୁ ମୁଁ ସମୟ ଦେଇପାରୁନଥିଲି । ଏବେ ଅନ୍ତତଃ ସେମାନଙ୍କ ସହ କିଛି ସମୟ ବିତିପାରୁଛି । ଏସବୁ ବ୍ୟତିରେକ ନିଜେ ପଢ଼ିବା ପାଇଁ ସୁଯୋଗ ମିଳିଛି । ତେଣୁ କିଛି ଗବେଷଣାତ୍ମକ ନିବନ୍ଧ ଲେଖିବା ସହିତ ସାମ୍ବାଦିକତା ସମ୍ପର୍କିତ ଏକ ପୁସ୍ତକର ସମ୍ପାଦନା କାର୍ଯ୍ୟ ଚାଲିଛି ।
ମୋଟାମୋଟି କହିବାକୁ ଗଲେ, କରୋନାକୁ ନେଇ କୌଣସି ଭୟ ମୋ ମନରେ ନାହିଁ । ଟେଲିଭିଜନରେ ଜଣେ ଡାକ୍ତରଙ୍କ ମନ୍ତବ୍ୟ ମୋର ମନକୁ ଢେର୍ ପାଇଛି । ସେ କହୁଥିଲେ, ଏଇଟା ଏମିତି ଏକ ଭୂତାଣୁ ଯାହାର ଇଗୋ (ଅହଂକାର) ଢେର ଅଧିକ । ସେ ସବୁବେଳେ ବାହାରେ ହିଁ ରହିବ, ଯେତେବେଳ ଯାଏଁ ଆମେ ଘରୁ ବାହାରକୁ ଯାଇ ତାକୁ ଘରକୁ ନିମନ୍ତ୍ରଣ କରି ଆଣିନାହାନ୍ତି । ତେଣୁ ମାସେ ହେଲାଣି ଘରର ଚାରିକାନ୍ଥ ଭିତରେ ଥିଲେ ବି ମୋତେ କୌଣସି ଫରକ୍ ପଡ଼ୁନି । ବରଂ ବାହାରର ଚଟପଟା ଖାଦ୍ୟ, ଧୂଆଁ ଧୂଳି ଓ କୋଳାହଳଠୁ ଢେର ଦୂରରେ ଜୀବନ ଅନବରତ ଚାଲିଛି । ଉପଲବ୍ଧ ସ୍ୱଳ୍ପ ଖାଦ୍ୟରେ ମନ ସନ୍ତୁଷ୍ଟ ଅଛି । ଶାନ୍ତ ଅଛି।
ମନଃଏବ ମନୁଷ୍ୟାଣାଂ କାରଣଂ ବଦ୍ଧ ମୋକ୍ଷୟେ” ..
ବାସ୍, ମନ ହିଁ ସବୁକିଛି । ଥରେ ମନକୁ ବୁଝାଇଦେଲା ପରେ ବର୍ଷ ବର୍ଷ ଧରି ଘର ଭିତରେ ରହିଲେ ବି କେବେହେଲେ ନିଜକୁ ବନ୍ଦୀ ଭଳି ଅନୁଭବ ହେବ ନାହିଁ । କିନ୍ତୁ ମନ ଯେବେ ନବୁଝୁଛି, ତାହେଲେ ଅଧଘଣ୍ଟାଏ ପାଇଁ ବି ଯଦି ଘର ଭିତରେ ରହିବାକୁ ପଡ଼ିଲା, ତାହା ଦୀର୍ଘବର୍ଷର କାରାବାସ ଭଳି ମନେ ହେବ । ମନ ବିଦ୍ରୋହ କରିବ । ଏଭଳି ଏକ ଜିଦଖୋର୍ ଅମାନିଆ ମହାମାରୀକୁ ମାରିବାକୁ ହେଲେ ମନକୁ ପ୍ରଥମେ ମାରିବାକୁ ହେବ । ମନକୁ ଆପଣା ଆୟତ୍ତରେ ବାନ୍ଧିବାକୁ ହେବ । ତେବେ ଯାଇ ଆମେ ବିଜୟୀ ହୋଇପାରିବା । କରୋନାକୁ ପରାସ୍ତ କରିପାରିବା । ..

Saturday, April 1, 2017

My poetry read by BJP MLA Mr. Pradeep Purohit in the State legislative assembly on 18th March 2017. It was during the assembly proceedings.





ବିକ୍ରମ ବେତାଳ

ମଲା ପରେ ବି ମୁଁ ସବୁ ଦେଖୁଛି
ବିକ୍ରମାଦିତ୍ୟର କାନ୍ଧରେ
ଭାର ହୋଇ ନିତି ବୁଲୁଛି  ।
ଗୋଟେ ପରେ ଗୋଟେ ଏମିତି
ଅନେକ ପ୍ରଶ୍ନ ପଚାରୁଛି ।
ପ୍ରଶ୍ନ ମୋର ଅସରନ୍ତି
ଜାଣେନା ମୁଁ ପାଇବି କି ନା ଏହାର ଉତ୍ତର ..
ମନ୍ତ୍ରୀ ଆସିଥିଲେ କି କେବେ
ମୋ ଘର କଥା ବୁଝିବାକୁ?
ଦେଖିଛନ୍ତି ଚାଳ କି ଖପର
ଛପର ମୋର ଘର?
କେତେ ବଖରା, କେମିତି ଜଳେ ଚୁଲି?
ମୋ ରତା, କାଳିଆ କଣ ଖାଆନ୍ତି?
ବିଲରେ ମୋ ଫସଲର ହାଲ
ଦେଖିଛନ୍ତି କେବେ?
କେମିତି ଦେଖିଲେ ମନ୍ତ୍ରୀ
ସ୍ତ୍ରୀ ମୋର କାଳୀ କିମ୍ବା ଗୋରୀ?
ଦେଖିଛନ୍ତି କେବେ ସିଏ
କଳାବତୀ କବରୀରେ
ଖୋସିଥିଲି ମୁହିଁ
କେତକୀ ନା କଣ୍ଟା?
କେମିତି କହିଲେ ମନ୍ତ୍ରୀ
କଳାବତୀ ମୋର କୁଲକ୍ଷଣୀ ବୋଲି?
ଜିଲ୍ଲାପାଳ ବୋଧେ ବହୁରୂପୀ
ବଦଳାଇ ବେଶ
ବୁଲନ୍ତି କି ଗାଁ ଗଣ୍ଡା
ସହର ନଗର ଯେତେ ଘରଦ୍ବାର?
କେମିତି ଜାଣିଲେ ଦୁହେଁ
ମୋ ଘରକଥା?
ଆଖିବୁଜି କହିଦେଲେ
ମାଟି ମାଡ଼ ନୁହେଁ, ମାଇପ ମାଡ଼ରେ
ମରିଗଲି ମୁହିଁ?
ବିକ୍ରମାଦିତ୍ୟର ରାଜ୍ୟେ ଏ କି ଅବିଚାର?
କଳାବତୀ ମୁଣ୍ଡେ ଦେଲ କଳଙ୍କର ଗାର?
ମନ୍ତ୍ରୀ ଆଉ କଟୁଆଳ ତୁମ
କରିଗଲେ ଯେତେ ନାରଖାର,
ରାଜ୍ୟ ତୁମ, ରାଜା ତୁମେ
କରିବ କି ଏହାର ବିଚାର?
ଦେଇ କି ପାରିବ ଆଜି
ମୃତ ଖଇନୁର ପ୍ରଶ୍ନର ଉତ୍ତର?
---
(ବରଗଡ଼ର ଚାଷୀ ଖଇନୁ ବଗର୍ତ୍ତୀଙ୍କ ଆତ୍ମହତ୍ୟା ପରେ ସରକାର ଓ ପ୍ରଶାସନର ଦାୟିତ୍ବହୀନତା ପରିପ୍ରେକ୍ଷୀରେ ଲିଖିତ କବିତା)
(C) ଡକ୍ଟର ଫକୀର ମୋହନ ନାହାକ



Saturday, December 3, 2016

Lord Jagannath at far east

Jagannath temple of Udaipur, Tripura.


It is in one of the beautiful places of Tripura. Just 55 KM. away from the state capital Agartala. This was a hundreds of years old Jagannath Temple. But now it is abandoned. A number of plants have grown on the dilapidated remains of the temple. You will find a typical Bengal architecture in its construction style. The reigning deities are now shifted to a nearby pucca house.  You will find a unique feature here in the idols of Lord Jagannath, Balabhadra and Devi Subhadra. They are having hands and foot. Lord Jagannath here is not black but blue like Lord Krishna or Lord Vishnu as we find in Indian mythology. 

 

(C) Dr. Fakir Mohan Nahak

Deities of Udaipur Jagannath Temple

My Poem - MAARA SINDUKA



 ମାଆର ସିନ୍ଦୁକ


ମୋ ମାଆର ସିନ୍ଦୁକ ଦେହରେ
ତୃତୀୟ ଶ୍ରେଣୀର ସମୟ ନିର୍ଘଣ୍ଟ
ତା’କୁ ଆଉଜି ବସିଲେ
ମନେ ପଡ଼େ ପିଲାଦିନ
ମିଞ୍ଜି ମିଞ୍ଜି ଡିବି ଆଲୁଅରେ
ଅସ୍ପଷ୍ଟ ପ୍ରତିଟି ଅକ୍ଷର 
ସିନ୍ଦୁକ ଭିତରେ ହାତପେଡ଼ି
ସେ ପେଡ଼ିରେ ମୋ ଅନ୍ତୁଡ଼ିଶାଳର
ଚିରା କୋତରା ଦସ୍ତାବିଜ୍
ନା ସେଥିରେ ଅଛି ମୋ ନାଁ
ନା ମୋ ବାପାଙ୍କ ନାଁ
ନା ଜେଜେଙ୍କ ନାଁ
ଅଛି ତାଙ୍କ ବାପାଙ୍କ ନାଁ 
ଗୁରୁବାରେ, ସଂକ୍ରାନ୍ତିରେ
ପରବ, ପୁନିଅ, ଓଷାରେ
ମାଆ ମୋର କ୍ଷୀର ଚାଉଳ ଦିଏ
ସିନ୍ଦୁକ ଦେହରେ,
ମୁଣ୍ଡିଆ ମାରେ ତା’ରି ପାଖରେ 
ସିନ୍ଦୁକରେ ମାଆର ପୁରୁଣା ମୁଦି
ପୁରୁଣା ପାଉଁଜି, ବିଭା ମୁକୁଟ
ବାହା ଲୁଗା, ଆଉ ଆମ ସଭିଙ୍କ ଜାତକ 
ଏବେ ସିନ୍ଦୁକ ଖୋଲି ଦେଖିଲି
ଗୋଟେ ଚକଚକିଆ ସୁନାମାଳି
ମାଆ କହିଲା, ମୋ ବୋହୂ ପାଇଁ ରଖିଛି 
ତାକୁ ବନ୍ଦେଇ ଘରକୁ ଆଣିଲେ,
ଦେବି ରୁପା କରାଟ, ସୁନାମାଳି
ଘରର ସବୁ ଅର୍ଦ୍ଦଳି
ମୋ ସିନ୍ଦୁକର ଚାବିମାଳି 
(22.11.2010, ସନ୍ଧ୍ୟା 6.40, ବନସ୍ଥଳୀପୁରମ୍, ହାଇଦ୍ରାବାଦ)
ଏ ବର୍ଷ “ଅୟମାରମ୍ଭ” ପୂଜା ସଂଖ୍ୟାରେ ପ୍ରକାଶ ପାଇଛି
© ଫକୀର ମୋହନ ନାହାକ