Saturday, December 3, 2016

My Poem - MAARA SINDUKA



 ମାଆର ସିନ୍ଦୁକ


ମୋ ମାଆର ସିନ୍ଦୁକ ଦେହରେ
ତୃତୀୟ ଶ୍ରେଣୀର ସମୟ ନିର୍ଘଣ୍ଟ
ତା’କୁ ଆଉଜି ବସିଲେ
ମନେ ପଡ଼େ ପିଲାଦିନ
ମିଞ୍ଜି ମିଞ୍ଜି ଡିବି ଆଲୁଅରେ
ଅସ୍ପଷ୍ଟ ପ୍ରତିଟି ଅକ୍ଷର  ।
ସିନ୍ଦୁକ ଭିତରେ ହାତପେଡ଼ି
ସେ ପେଡ଼ିରେ ମୋ ଅନ୍ତୁଡ଼ିଶାଳର
ଚିରା କୋତରା ଦସ୍ତାବିଜ୍
ନା ସେଥିରେ ଅଛି ମୋ ନାଁ
ନା ମୋ ବାପାଙ୍କ ନାଁ
ନା ଜେଜେଙ୍କ ନାଁ
ଅଛି ତାଙ୍କ ବାପାଙ୍କ ନାଁ  ।
ଗୁରୁବାରେ, ସଂକ୍ରାନ୍ତିରେ
ପରବ, ପୁନିଅ, ଓଷାରେ
ମାଆ ମୋର କ୍ଷୀର ଚାଉଳ ଦିଏ
ସିନ୍ଦୁକ ଦେହରେ,
ମୁଣ୍ଡିଆ ମାରେ ତା’ରି ପାଖରେ  ।
ସିନ୍ଦୁକରେ ମାଆର ପୁରୁଣା ମୁଦି
ପୁରୁଣା ପାଉଁଜି, ବିଭା ମୁକୁଟ
ବାହା ଲୁଗା, ଆଉ ଆମ ସଭିଙ୍କ ଜାତକ  ।
ଏବେ ସିନ୍ଦୁକ ଖୋଲି ଦେଖିଲି
ଗୋଟେ ଚକଚକିଆ ସୁନାମାଳି
ମାଆ କହିଲା, ମୋ ବୋହୂ ପାଇଁ ରଖିଛି  ।
ତାକୁ ବନ୍ଦେଇ ଘରକୁ ଆଣିଲେ,
ଦେବି ରୁପା କରାଟ, ସୁନାମାଳି
ଘରର ସବୁ ଅର୍ଦ୍ଦଳି
ମୋ ସିନ୍ଦୁକର ଚାବିମାଳି  ।
(22.11.2010, ସନ୍ଧ୍ୟା 6.40, ବନସ୍ଥଳୀପୁରମ୍, ହାଇଦ୍ରାବାଦ)
ଏ ବର୍ଷ “ଅୟମାରମ୍ଭ” ପୂଜା ସଂଖ୍ୟାରେ ପ୍ରକାଶ ପାଇଛି
© ଫକୀର ମୋହନ ନାହାକ

1 comment:

  1. Thank u Bhaina for inventing such a lovely story of my Aunty- Bada Appa. I love you Appa.

    ReplyDelete