Saturday, December 3, 2016

A poem written in 2013



ମହାଜନ ଚୋର


ମୂଲିଆ
ତା’ର ବା କି ଜାତି ଅଛି?
ମୂଲ ଲାଗିଲେ ପେଟ ପୋଷେ
ମୂଲ ନଥିଲେ ଉପାସ 
ମୁଁ ବି ଗୋଟେ ମୂଲିଆ,
ମହାଜନର ମୂଲ ଲାଗିଲି
ଝାଲ ବୁହାଇଲି
ମେହନତ କଲି
ହେଲେ ମିଳିଲାନି ମୂଲ ।
ଦିନ, ସପ୍ତାହ, ମାସ
ଏମିତି ବିତିଲା ନଅ ମାସ 
ଏ ଭିତରେ କିନ୍ତୁ
ନେପୁରୀ, ଝୁମୁରୀ, ମାଳତୀ, ତୁଳସା
ସମସ୍ତେ ପିଲା ଜନ୍ମ କରିସାରିଲେଣି
ନଅ ମାସର ଗର୍ଭରୁ ପିଲା ଖେଳିଲାଣି
ହେଲେ ମିଳିଲାନି ମୂଲ 
ମହାଜନ ଫେରାର
ମୁଁ ଫେରାଦ ହେଲେ ଶୁଣିବ କିଏ?
ସରକାର କହୁଛନ୍ତି
ମହାଜନଟା ଗୋଟେ ଚୋର 
ଖାଲି ମୋ ମୂଲ ନୁହେଁ
ଆଉ କେତେ ମୂଲିଆଙ୍କ ମୂଲ
ଝାଳବୁହା ଟଙ୍କା ଖାଇଛି ସେ 
ଅଦାଲତ, ପୋଲିସ ଖୋଜୁଛି ତାକୁ
ହେଲେ ସେ କୁଆଡ଼େ ଛୁ 
ମତେ ଏବେ ଅଦାଲତ ପଚାରୁଛି
ତୁ ସତରେ ମୂଲ ଲାଗିଥିଲୁ?
ଏ କଥାର ପ୍ରମାଣ ଦେବାକୁ କଣ ଦେବି ଉତ୍ତର?
ଶଳା ମହାଜନଟା ତ ଚୋର 
© ଫକୀର ମୋହନ ନାହାକ
(2013 ମସିହାରେ ଜଣେ ଚୋର ମହାଜନକୁ ପୋଲିସ ଖୋଜୁଥିଲା ବେଳେ, ଏ କବିତା ଲେଖା ଯାଇଥିଲା  । ମହାଜନ ଏବେ ପୋଲିସ ହାତରେ  । ଜେଲରେ ଖାଇ ପିଇ ଅଛି  । ଲୋକେ ଜେଲ୍ ଗଲେ ଚିନ୍ତାରେ ସଢ଼ି ଯାଆନ୍ତି, ଇଏ କିନ୍ତୁ ଦିନକୁ ଦିନ ଡଉଲ ଡାଉଲ ଦିଶୁଛି   ବେଳେ ବେଳେ ପଦାକୁ ଆସିଲେ ଅଲାଜୁକ ମୁହଁରେ କ୍ୟାମେରା ଆଗରେ ଗପୁଛି  । ପୁଅ ଜେଲରେ ଅଏସ୍ କରୁଛି)

Thursday, November 3, 2016

A poem written on 29.02.2012 (5.35AM)



ଗମନୀ
ଫକୀର ମୋହନ ନାହାକ
ଆଦ୍ୟ ଆଷାଢ଼ର ଆଗମନୀ
ଆଣିଦିଏ ଆତ୍ମାରେ ଆର୍ଦ୍ରତା
ଆନ୍ଦୋଳିତ ହୁଏ ମନ
ଆଶାକରେ ଆତ୍ମୀୟର
ଆଶୁ ଉପସ୍ଥାନ 
ଆଉ ଯେବେ ଆଶ୍ବି ନର ଆକାଶରେ
ଆଖି ଦେଖେ ଆକାଂକ୍ଷିତ ଛବି
ଆଦିରସେ ଆତ୍ମ ମଗ୍ନ
ଆଶ୍ଳେଷରେ ଆହ୍ଲାଦିତ କବି 
ଆତପରେ ଆଳାପ ଅଳପ
ଆଳାପୀ ଆଲିଙ୍ଗନେ ଦିଅଇ ଆଶ୍ବାସ
ଆଦୌ ନୁହେଁ ଏହା ଶେଷ
ଆଗକୁ ଆସୁଛି ଆଷାଢ଼
ଆଞ୍ଜୁଳାରେ ଆଣୁଅଛି ଅବଶିଷ୍ଟ ଯେତେକ ଆୟୁଷ 

© Dr. Fakir Mohan Nahak

A poem on life struggle written by me on 3rd November 2016



ଆହୁତି

ଡକ୍ଟର ଫକୀର ମୋହନ ନାହାକ
ଆରମ୍ଭ ହୋଇଛି ଯଜ୍ଞ
ପାଞ୍ଚ କି ସାତ ନୁହେଁ
ଚବିଶ କି ଶହେ ଆଠ ନୁହେଁ
ଶତ ସହସ୍ର କୁଣ୍ଡରେ
ସମିଧରେ ସଂଯୋଗ ହେଲାଣି
ହୋମାଗ୍ନି 
ବର୍ଗ କୁଣ୍ଡ, ପଦ୍ମ କୁଣ୍ଡ
ଚକ୍ର କୁଣ୍ଡ ଆଉ ଯୋନି କୁଣ୍ଡ
ସବୁଠି ଚାଲିଛି ଯଜ୍ଞ
ଗୁଞ୍ଜରିତ ଏଠି
ଅଭିପ୍ରେତ ମନ୍ତ୍ରର ଧ୍ବନି
ବଡ଼ ବିଚିତ୍ର ତାର ଗୁଞ୍ଜରଣ
ନା ବେଦ ନା ପୁରାଣ
ନା ଶାସ୍ତ୍ର ସମ୍ମତ ସେ ମନ୍ତ୍ର
ବିବ୍ରତ କରୁଛି ମୋତେ
ସେ ଭିନ୍ନ ଉଚ୍ଚାରଣ 
ବିଶାଳ ଯଜ୍ଞରେ
ଅଗ୍ନିହୋତ୍ର କରୁଛି ମୁଁ ..
ମୁଁ ହୋତା
ହର୍ତା କର୍ତ୍ତା
ଦଇବ ବିଧାତା 
ଆହୁତି ଦେଉଛି
ଜଗତର ଯନ୍ତ୍ରଣାକୁ
ଜୀବନ ଜଞ୍ଜାଳର ଯାତନାକୁ
ଦଶାନନ ଭଳି
ସ୍ବୟଂକୁ ଦେଉଛି ଆହୁତି,
ଅଗ୍ନିରେ ସମର୍ପି ଦେଉଛି
ମୋ ମସ୍ତକ, ମୋ ମସ୍ତିଷ୍କ
ଶହେ ଆଠ କି ହଜାରେ ଆଠ ନୁହେଁ
ଶତ ସହସ୍ର କୁଣ୍ଡରେ
ଶତ ସହସ୍ର ମନ୍ତ୍ରର ଆହୁତି 
ସାକଲ୍ୟ ଭାବେ ଅଜାଡ଼ି ହେଉଛି
ମୋର ମାଂସ ଆଉ ମଜ୍ଜା
ତା ସାଙ୍ଗରେ ମିଶା ପୁଣି
ମୋର ଯେତେ ମାନ ଅଭିମାନ
ଅସ୍ମିତା ଅହଂକାର 
ସମିଧ ସାଜିଛି ଅସ୍ଥି
ଅହମିକା ଆଉ ଅଳିକ ଅସ୍ତିତ୍ବ 
ସ୍ବିଷ୍ଟକୃତେ ସନ୍ତର୍ପଣେ
ସମର୍ପି ଦେଉଛି ମୁଁ
ପ୍ରସ୍ତର ଯୁଗର ବୃଥା ପରିଚୟ
ଅସରନ୍ତି ସ୍ବପ୍ନ ସାଙ୍ଗେ
ସ୍ତରିଭୂତ ସଂତ୍ତପ୍ତ ହୃଦୟ 
ଅନନ୍ତ କାଳର ଯଜ୍ଞ
ଅନ୍ତହୀନ ବୋଧେ
ଅସୁମାରୀ ଆହୁତି ପରେ ବି
ଅନ୍ତ ନାହିଁ ଯାର 
ପୂର୍ଣ୍ଣାହୁତି ଦେବି କଣ
ବର୍ତ୍ତମାନ ନାହିଁ କିଛି ମୋର 
ଅଛି ଯାହା ଆତ୍ମା ବୋଲି
ଦେଖି ନାହିଁ ରୂପ ଆଉ ରଙ୍ଗ ତାର,
ଯଜ୍ଞାଗ୍ନି କି ନେଇପାରେ ତାକୁ
ଆତ୍ମା ପରା ମୋର ଅବିନଶ୍ବର 
© Dr. Fakir Mohan Nahak