Saturday, December 3, 2016

My Poem - MAARA SINDUKA



 ମାଆର ସିନ୍ଦୁକ


ମୋ ମାଆର ସିନ୍ଦୁକ ଦେହରେ
ତୃତୀୟ ଶ୍ରେଣୀର ସମୟ ନିର୍ଘଣ୍ଟ
ତା’କୁ ଆଉଜି ବସିଲେ
ମନେ ପଡ଼େ ପିଲାଦିନ
ମିଞ୍ଜି ମିଞ୍ଜି ଡିବି ଆଲୁଅରେ
ଅସ୍ପଷ୍ଟ ପ୍ରତିଟି ଅକ୍ଷର 
ସିନ୍ଦୁକ ଭିତରେ ହାତପେଡ଼ି
ସେ ପେଡ଼ିରେ ମୋ ଅନ୍ତୁଡ଼ିଶାଳର
ଚିରା କୋତରା ଦସ୍ତାବିଜ୍
ନା ସେଥିରେ ଅଛି ମୋ ନାଁ
ନା ମୋ ବାପାଙ୍କ ନାଁ
ନା ଜେଜେଙ୍କ ନାଁ
ଅଛି ତାଙ୍କ ବାପାଙ୍କ ନାଁ 
ଗୁରୁବାରେ, ସଂକ୍ରାନ୍ତିରେ
ପରବ, ପୁନିଅ, ଓଷାରେ
ମାଆ ମୋର କ୍ଷୀର ଚାଉଳ ଦିଏ
ସିନ୍ଦୁକ ଦେହରେ,
ମୁଣ୍ଡିଆ ମାରେ ତା’ରି ପାଖରେ 
ସିନ୍ଦୁକରେ ମାଆର ପୁରୁଣା ମୁଦି
ପୁରୁଣା ପାଉଁଜି, ବିଭା ମୁକୁଟ
ବାହା ଲୁଗା, ଆଉ ଆମ ସଭିଙ୍କ ଜାତକ 
ଏବେ ସିନ୍ଦୁକ ଖୋଲି ଦେଖିଲି
ଗୋଟେ ଚକଚକିଆ ସୁନାମାଳି
ମାଆ କହିଲା, ମୋ ବୋହୂ ପାଇଁ ରଖିଛି 
ତାକୁ ବନ୍ଦେଇ ଘରକୁ ଆଣିଲେ,
ଦେବି ରୁପା କରାଟ, ସୁନାମାଳି
ଘରର ସବୁ ଅର୍ଦ୍ଦଳି
ମୋ ସିନ୍ଦୁକର ଚାବିମାଳି 
(22.11.2010, ସନ୍ଧ୍ୟା 6.40, ବନସ୍ଥଳୀପୁରମ୍, ହାଇଦ୍ରାବାଦ)
ଏ ବର୍ଷ “ଅୟମାରମ୍ଭ” ପୂଜା ସଂଖ୍ୟାରେ ପ୍ରକାଶ ପାଇଛି
© ଫକୀର ମୋହନ ନାହାକ

1 comment:

  1. Thank u Bhaina for inventing such a lovely story of my Aunty- Bada Appa. I love you Appa.

    ReplyDelete