Saturday, December 3, 2016

A poem written in 2013



ମହାଜନ ଚୋର


ମୂଲିଆ
ତା’ର ବା କି ଜାତି ଅଛି?
ମୂଲ ଲାଗିଲେ ପେଟ ପୋଷେ
ମୂଲ ନଥିଲେ ଉପାସ 
ମୁଁ ବି ଗୋଟେ ମୂଲିଆ,
ମହାଜନର ମୂଲ ଲାଗିଲି
ଝାଲ ବୁହାଇଲି
ମେହନତ କଲି
ହେଲେ ମିଳିଲାନି ମୂଲ ।
ଦିନ, ସପ୍ତାହ, ମାସ
ଏମିତି ବିତିଲା ନଅ ମାସ 
ଏ ଭିତରେ କିନ୍ତୁ
ନେପୁରୀ, ଝୁମୁରୀ, ମାଳତୀ, ତୁଳସା
ସମସ୍ତେ ପିଲା ଜନ୍ମ କରିସାରିଲେଣି
ନଅ ମାସର ଗର୍ଭରୁ ପିଲା ଖେଳିଲାଣି
ହେଲେ ମିଳିଲାନି ମୂଲ 
ମହାଜନ ଫେରାର
ମୁଁ ଫେରାଦ ହେଲେ ଶୁଣିବ କିଏ?
ସରକାର କହୁଛନ୍ତି
ମହାଜନଟା ଗୋଟେ ଚୋର 
ଖାଲି ମୋ ମୂଲ ନୁହେଁ
ଆଉ କେତେ ମୂଲିଆଙ୍କ ମୂଲ
ଝାଳବୁହା ଟଙ୍କା ଖାଇଛି ସେ 
ଅଦାଲତ, ପୋଲିସ ଖୋଜୁଛି ତାକୁ
ହେଲେ ସେ କୁଆଡ଼େ ଛୁ 
ମତେ ଏବେ ଅଦାଲତ ପଚାରୁଛି
ତୁ ସତରେ ମୂଲ ଲାଗିଥିଲୁ?
ଏ କଥାର ପ୍ରମାଣ ଦେବାକୁ କଣ ଦେବି ଉତ୍ତର?
ଶଳା ମହାଜନଟା ତ ଚୋର 
© ଫକୀର ମୋହନ ନାହାକ
(2013 ମସିହାରେ ଜଣେ ଚୋର ମହାଜନକୁ ପୋଲିସ ଖୋଜୁଥିଲା ବେଳେ, ଏ କବିତା ଲେଖା ଯାଇଥିଲା  । ମହାଜନ ଏବେ ପୋଲିସ ହାତରେ  । ଜେଲରେ ଖାଇ ପିଇ ଅଛି  । ଲୋକେ ଜେଲ୍ ଗଲେ ଚିନ୍ତାରେ ସଢ଼ି ଯାଆନ୍ତି, ଇଏ କିନ୍ତୁ ଦିନକୁ ଦିନ ଡଉଲ ଡାଉଲ ଦିଶୁଛି   ବେଳେ ବେଳେ ପଦାକୁ ଆସିଲେ ଅଲାଜୁକ ମୁହଁରେ କ୍ୟାମେରା ଆଗରେ ଗପୁଛି  । ପୁଅ ଜେଲରେ ଅଏସ୍ କରୁଛି)

No comments:

Post a Comment